Saturday, March 15, 2025

ଜୀବନ ଓ ଜଳ ଅମୁଲ୍ୟ ବୋଲି କାହିଁକି କହିଲେ ସାମ୍ବାଦିକ

ବଲାଙ୍ଗୀର(ସନ୍ତୋଷ ସିଂଦେଓ): ଜୀବନ ଓ ଜଳ ଅମୁଲ୍ୟ । ବର୍ଷାରେ ଝୁରୁଥିବା ପ୍ରତିଟି ଜଳ ବୁନ୍ଦା ବହୁତ ପବିତ୍ର । ପୃଥିବୀ ପୃଷ୍ଠରେ ବର୍ଷିବା ପରେ ଗଙ୍ଗାରେ ମିଶିଯାଉଥିବା ଜଳ ଆହୁରି ପବିତ୍ର ହୋଇଯାଏ । ମାତ୍ର ନାଳି ବା ନର୍ଦ୍ଦମାରେ ମିଶୁଥିବା ଜଳ ଅପବିତ୍ର ବୋଲି କୁହାଯାଏ । ଏମିତି ହୁଏ କାହିଁକି । ଏହାର କାରଣ କ’ଣ ବୁଝିବା । ଗୋଟେ ଶଦ୍ଦରେ କହିବାକୁ ଗଲେ ‘ସଂଗତି’ ଏସୋସିଏସନ୍ ।
ସନାତନ ଧର୍ମରେ ‘ଗଙ୍ଗା ନଦୀ’ଙ୍କୁ ମାଁ ବୋଲି ସମ୍ବୋଧନ କରିଥାଉଁ । ଅନେକ ଧାର୍ମିକ ବିଶ୍ୱାସ ଜଡ଼ିତ । ସେହି ଗଙ୍ଗା ନଦୀର ସଂଗତିରେ ପଡୁଥିବା ବର୍ଷା ଜଳ ପବିତ୍ର ହେଉଥିବା ବେଳେ ନର୍ଦ୍ଦମାରେ ପଡୁଥିବା ଜଳ ଅପବିତ୍ର । ତେବେ ବର୍ଷା କେଉଁଠି ବର୍ଷିବ । ତା’ର ଜଳ ରାଶି କେଉଁଠି ମିଶିବ, ତାହା ବର୍ଷାର ନିର୍ଦ୍ଧାରିତ ନୁହଁ । କିନ୍ତୁ ମଣିଷ ପାଖରେ ଚେତନା ଶକ୍ତି ଅଛି । ଭଲ ଓ ମନ୍ଦ ବିଚାର କରିବାର କ୍ଷମତା ରହିଛି । ଭଲ ସଂଗତିରେ ଆସିଲେ ଭଲ । ଅସାମାଜିକ ତତ୍ୱର ସଂଗତିରେ ପଡିଲେ ଜୀବନ ନଷ୍ଟ । ସେଇଥି ପାଇଁ ଆମ ପିତାମାତା ଛୋଟବେଳୁ ଆମମାନଙ୍କ ସଂଗତିକୁ ନେଇ ଅଧିକ ଯତ୍ନଶୀଳ ଥାଆନ୍ତି । କୁସଂଗତି ଠାରୁ ଦୂରରେ ରହିବାକୁ ତାଗିଦ କରନ୍ତି । ବୁଝାଇଥାନ୍ତି । ଭଲ ମଣିଷ ଭାବେ ଗଢିବା ତାଙ୍କ ଏକମାତ୍ର ଉଦ୍ଧେଶ୍ୟ ।
‘ସଂଗତି’ର ଆମ ଜୀବନରେ ବହୁତ ପ୍ରଭାବ ପଡିଥାଏ । ଆମ ଉପରେ ହିଁ ନର୍ଭର କରେ ଆମେ କେଉଁଭଳି ସଂଗତି ଆପଣେଇବା । ଉତ୍ତମ ସଂଗତି ଆମକୁ ସଫଳତା ଆଡକୁ ନେଇଥାଏ । ଖରାପ ସଂଗତି ବିଫଳତା ଦିଏ । ଏହାକୁ ଆହୁରି ସରଳ ଭାଷାରେ ଏକ ଛୋଟ କାହାଣୀରୁ ବୁଝିବା ।

ଥରେ ଜଣେ ରାଜା ତାଙ୍କ ସୈନ୍ୟ ସାମନ୍ତ ନେଇ ଶିକାର ପାଇଁ ଘଂଚ ଜଙ୍ଗଲକୁ ଯାଇଥିଲେ । ଜଙ୍ଗଲରେ ପ୍ରବେଶ କରିବା ପରେ ଯାଉଯାଉ ଅନେକ ଭିତରକୁ ଗଲେ । ମାତ୍ର ଶିକାର ଦେଖାଗଲା ନାହିଁ । ସୈନ୍ୟ ସାମନ୍ତଙ୍କୁ ଲୁଚିକି ଡେରା ପକାଇବାକୁ ନିର୍ଦ୍ଦେଶ ଦେଲେ । ଦୂରରେ ଏକ ଗୁମ୍ଫା ଦେଖାଗଲା । ଗୁମ୍ଫା ନିକଟକୁ ପହଞ୍ଚିବା ମାତ୍ରେ ପାଖରେ ଥିବା ଏକ ବୃକ୍ଷରେ ବସିଥିବା ଶୁଆ ପକ୍ଷୀ ‘ମିଟୁ’ ଧରଧର ଜଣେ ରାଜା ଆସୁଛନ୍ତି । ତାଙ୍କ ପାଖରେ ବହୁତ ସଂପତ୍ତି ଅଛି କହି ଚିତ୍କାର ଦେଲା । ଗୁମ୍ଫା ଭିତରେ ପୁର୍ବରୁ ଲୁଚି ରହୁଥିବା ଡକାୟତ ଗୋଷ୍ଠୀଙ୍କୁ ମିଟୁ ଡାକ ଦେଇଥିଲା । ମିଟୁର ଡାକ ଶୁଣି ଗୁମ୍ଫାରୁ ବାହାରି ଡକାୟତ ଗୋଷ୍ଠୀ ରାଜାଙ୍କୁ ଧରିବାକୁ ଦୌଡିଲେ । ସେମାନଙ୍କୁ ଦେଖି, ରାଜା ତାଙ୍କ ସୈନ୍ୟ ସାମନ୍ତ ସହ ପଳାୟନ କଲେ । ଅନେକ ବାଟ ଆସିବା ପରେ ଏକ କୁଟିର ଦେଖାଗଲା । ରାଜାଙ୍କୁ ଦେଖି କୁଟିର ପାଖରେ ଥିବା ବୃକ୍ଷରେ ବସିଥିବା ‘ମିଟୁ’ କହିଲା, ଆସନ୍ତୁ ରାଜା । ସନ୍ଥଙ୍କ କୁଟିରକୁ ଆପଣଙ୍କୁ ସ୍ୱାଗତ କରୁଛି । ବସନ୍ତୁ । ଜଳ ଗ୍ରହଣ କରନ୍ତୁ । ଏହା ଶୁଣି ରାଜା ଆଶ୍ଚର୍ଯ୍ୟ ଚକିତ ହୋଇଗଲେ । କୁଟିର ଭିତରକୁ ଯାଇ ବସିଥିବା ସାଧୁସନ୍ଥଙ୍କୁ ପ୍ରଣାମ କଲେ । ତାଙ୍କ ସହ ଘଟିଥିବା ଘଟଣା କହିଲେ । ସନ୍ଥଙ୍କୁ ପଚାରିଲେ ହେ ମହାତ୍ମା, ଗୋଟେ ଜାତିର ପକ୍ଷୀ ମିଟୁ । କିନ୍ତୁ ଉଭୟଙ୍କ ଚରିତ୍ର ଭିନ୍ନ କାହିଁକି । ସାଧୁ କହିଲେ ଏହା ‘ସଂଗତି’ର ପ୍ରଭାବ । ଡକାୟତଙ୍କ ସଂଗତିରେ ରହି ସେମାନଙ୍କ ଭାଷା କହୁଥିବା ପକ୍ଷୀ ତାଙ୍କ ଭଳି ହୋଇଛି । ଅନ୍ୟଟିର ଆଚରଣ ସୌହାର୍ଦ୍ଦ୍ୟପୂର୍ଣ୍ଣ, ଅଦରଣୀୟ । ଏଥିପାଇଁ ବହୁତ ବୁଝି ବିଚାରି ମଣିଷ ତା’ର ସଂଗତି ଅପଣେଇବା କଥା ।

Related Articles

LEAVE A REPLY

Please enter your comment!
Please enter your name here

Latest Articles